Breaking

ଚିକେନ୍‌ ଅଙ୍ଗାରା

0

ସମ୍ବଲପୁର ସହର ବୀର ସୁରେନ୍ଦ୍ର ସାଏ ମାର୍ଗସ୍ଥିତ ହୋଟେଲ ଅପ୍‌ସରା ପରିସରରେ ଅର୍ବାନ ତଡକା ରେଷ୍ଟୁରାଣ୍ଟ ରହିଛି। ଆଜିର ଗ୍ରାହକଙ୍କ ମନ ମୁତାବକ ଡିଶ୍‌ ପ୍ରସ୍ତୁତିରେ ଏହି ରେଷ୍ଟୁରାଣ୍ଟର ସୁନାମ ରହିଛି। ଚିକେନ ଅଙ୍ଗାରା ଅର୍ବାନ ତଡକାର ସ୍ବତନ୍ତ୍ର ଡିଶ୍‌। ଏନେଇ ରେଷ୍ଟୁରାଣ୍ଟର ସେଫ୍‌ ମୁନ୍ନା ଖାନ୍‌ କହନ୍ତି, ଚିକେନ ଅଙ୍ଗାରା ଗତ ୬ବର୍ଷ ହେବ ଏଠାରେ ପ୍ରସ୍ତୁତ କରାଯାଉଛି। ଏହାର ପ୍ଲେଟ୍‌ ପ୍ରତି ମୂଲ୍ୟ ୧୯୮ ଟଙ୍କା ରହିଛି। ବଟର ନାନ୍‌ ଓ ତାବା ରୁଟିରେ ଗ୍ରାହକମାନେ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି। ଅପରପକ୍ଷେ ଯୁବ ଗ୍ରାହକମାନେ ଏହାକୁ ଷ୍ଟାର୍ଟର ଭାବେ ମଧ୍ୟ ଖାଉଛନ୍ତି।

ଆବଶ୍ୟକ ସାମଗ୍ରୀ
ହାଡ ଥିବା ଚିକେନ- ୨୦୦ ଗ୍ରାମ
ଅଦା, ରସୁଣ ପେଷ୍ଟ- ଅଧା ଚା ଚାମଚ
ହଳଦୀ- ଅଧା ଚା ଚାମଚ
ଧନିଆ ପାଉଡର-ଅଧା ଚା ଚାମଚ
ରେଡ୍‌ ଚିଲି ପାଉଡର- ଅଧା ଚା ଚାମଚ
କସ୍ତୁରୀ ମେଥି- ଅଧା ଚା ଚାମଚ
ଗରମ ମସଲା- ଅଧା ଚା ଚାମଚ
ଫ୍ରେଶ୍‌ କ୍ରିମ- ୧ ଚାମଚ
ବଟର- ୧ ଚାମଚ
କାଜୁ ପେଷ୍ଟ- ୨ ଚାମଚ
ତେଲ- ୫୦ ଗ୍ରାମ
କିମା ପିଆଜ- ୧୦୦ ଗ୍ରାମ
ଲୁଣ- ସ୍ବାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନକୁ ଦହି ଓ ମସଲା ସହିତ ମେରିନେଟ୍‌ କରି ତନ୍ଦୁରରେ ରୋଷ୍ଟ କରାଯାଏ। ଏହାପରେ ଏକ ସ୍ବଚ୍ଛ ପାତ୍ରରେ ରଖାଯାଏ। ଅଳ୍ପ ନିଆଁ ଜାଳି ଫ୍ରାଇପ୍ୟାନ୍‌ରେ ୫୦ ଗ୍ରାମ ତେଲ ଦିଆଯାଏ। ଗରମ ତେଲରେ କିମା ଅଦା, ରସୁଣ, ପିଆଜ ଦିଆଯାଇ କିଛି ସମୟ ତାକୁ ଭଲ କରି ଭଜା ଯାଇଥାଏ। ଏହାପରେ ଅଦା, ରସୁଣ ପେଷ୍ଟ ଦେଇ ଚିକେନକୁ ଭଜା ଯାଏ। ତା’ଉପରେ ମସଲା ପକାଯାଇ ଘଣ୍ଟାଯାଇଥାଏ। ଏହାପରେ ହାଲୁକା ପାଣି ଦିଆଯାଏ। ଏହାପରେ କାଜୁ ପେଷ୍ଟ ଓ କିମା ବଟର୍‌ ଦିଆଯାଇ ଆଞ୍ଚକୁ ଅଳ୍ପ ବଢ଼ାଯାଇଥାଏ। ମସଲା ବହଳିଆ ହେବା ପରେ ବଟର, କସ୍ତୁରୀ ମେଥି, ଗରମ ମସଲା ଦିଆଯାଏ। ସ୍ବାଦ ଅନୁଯାୟୀ ଲୁଣ ଦିଆଯାଇଥାଏ। କିଛି ସମୟ ପରେ ଚିକେନ ଅଙ୍ଗାରା ପ୍ରସ୍ତୁତ ହୋଇଥାଏ। ପୂର୍ବରୁ ରଖାଯାଇଥିବା ପାତ୍ରରେ ଅଙ୍ଗାରା ଚିକେନକୁ ରଖାଯାଏ। ପ୍ଲେଟ୍‌ର ଏକ ପାର୍ଶ୍ୱରେ ଲମ୍ବା ଓ ପତଳା କଟା ହୋଇଥିବା କାକୁଡି, ଟମାଟୋ, ମୂଳା ଓ ଗାଜରକୁ ସଜାଯାଇ ଗ୍ରାହକଙ୍କୁ ପରଷା ଯାଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୨୫ ମିନିଟ ସମୟ ଲାଗିଥାଏ।

loading...

Leave A Reply

Your email address will not be published.