Breaking

ଗାଡ଼ି ଲୁଟେରା ଗ୍ୟାଙ୍ଗ୍‌ର ୩ ଗିରଫ, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀରୁ ଲୁଟୁଥିଲେ କାର୍‌ ଓ ବାଇକ୍‌

0

ପିପିଲି: ଏକ ବୋଲେରୋ ଗାଡ଼ି ଚୋରିର ତଦନ୍ତ କରୁଥିଲା ପୁଲିସ। ହେଲେ ତଦନ୍ତ ବେଳେ ପୁଲିସ ଜାଲରେ ପଡ଼ିଗଲେ କାର୍‌-ବାଇକ୍‌ ଲୁଟୁଥିବା ଏକ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ପିପିଲି ପୁଲିସ ଗିରଫ କରିବା ସହ ସେମାନଙ୍କଠାରୁ ଏକ ଟାଟା ସୁମୋ ଓ ୧୦ଟି ଚୋରା ମଟର ସାଇକେଲ ଜବତ କରିଛି। ଜବତ ବାଇକ୍‌ ମଧ୍ୟରେ ରହିଛି ବୁଲେଟ୍‌, ପ୍ଲେଜର୍‌ ସ୍କୁଟର, ସ୍ପ୍ଲେଣ୍ତର, ପ୍ୟାସନ୍‌ ଭଳି ବାଇକ୍‌। ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ଥାନା ଦାନୋଗହିର ନୂଆସାହିର ତାହିର ଅକତର ଓରଫ୍‌ ନିକି (୨୨), ଦାନୋଗହିର ବଡ଼ମସଜିଦ ସାହିର ମହମ୍ମଦ କରିମ ଓରଫ୍‌ ଟିପୁ (୨୮) ଏବଂ ଦାନୋଗହିର ଗ୍ରାମର ଅସିଫ ଖାନ(୨୨)। ପିପିଲି କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଆଜି ନିମାପଡ଼ା ଜେଲକୁ ପଠାଇ ଦିଆଯାଇଛି।

ସୂଚନା ଅନୁସାରେ, ଗତ ୯ ତାରିଖରେ ପିପିଲି ଥାନା ଜଗନ୍ନାଥପୁର ଡିହସାହି ଗ୍ରାମର ମିଲି ମହାନ୍ତିଙ୍କ ଘର ଆଗରୁ ଓଆର୦୨ବିଏ-୨୬୮୫ ନମ୍ବର ବୋଲେରୋ ଗାଡ଼ି ଚୋରି ହୋଇ ଯାଇଥିଲା। ମାମଲାର ତଦନ୍ତ କରିବାକୁ ଯାଇ ପୁଲିସ କିଛି ସନ୍ଦିଗ୍ଧଙ୍କୁ ସ୍କାନରରେ ରଖି ପ୍ରଥମେ ପହଞ୍ଚିଥିଲା ଅଭିଯୁକ୍ତ ନିକି ପାଖରେ। ପଚରାଉଚୁରା ପରେ ପୁଲିସ ତା’ଠୁ ଯେଉଁ ସୂଚନା ପାଇଥିଲା ତାକୁ ଆଧାର କରି ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିଥିବା ବେଳେ ଅନ୍ୟ ୪ ଜଣ ଫେରାର ହୋଇ ଯାଇଥିବା ପିପିଲି ଥାନା ଆଇଆଇସି ଶରତ ସାହୁ କହିଛନ୍ତି। ଏହି ତିନିଜଣଙ୍କଠାରୁ ବିଭିନ୍ନ କମ୍ପାନିର ବାଇକ୍‌ ଜବତ ହୋଇଥିବା ବେଳେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଏକ ବୁଲେଟ୍‌ (ଓଡି୦୨ଏକ୍ସ-୨୯୮୩) ମଧ୍ୟ ଜବତ ହୋଇଛି। ତେବେ ଏହି ନମ୍ବର ଜାଲ ଏବଂ ଏହା ଏକ ମାରୁତି କାର ନମ୍ବର ବୋଲି ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି। ଏହା ଛଡ଼ା ଅଭିଯୁକ୍ତମାନେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଚୋରି କରିଥିବା ଏକ ଟାଟା-ସୁମୋ (ଓଡି୦୨-୮୭୭୧) ଜବତ କରାଯାଇଛି।ଧରାପଡ଼ିଥିବା ଅଭିଯୁକ୍ତମାନେ ଅଭ୍ୟାସଗତ କାର-ବାଇକ୍‌ ଲୁଟେରା ଏବଂ ଏମାନେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର, ଲକ୍ଷ୍ମୀସାଗର ଆଦି ଥାନାରେ ଅନେକ ମାମଲାରେ ସଂପୃକ୍ତ। ଭୁବନେଶ୍ବର ସହ ଖୋର୍ଦ୍ଧା, ନୟାଗଡ଼, ପୁରୀ ଜିଲ୍ଲାରେ ଏହି ଗ୍ୟାଙ୍ଗ୍‌ ଅନେକ ବାଇକ୍‌, କାର୍‌ ଲୁଟ୍‌ କରିଥିବା ସ୍ବୀକାର କରିଛନ୍ତି।

loading...

Leave A Reply

Your email address will not be published.