Breaking

ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଭଲ ଉପସ୍ଥିତି ପାଇଁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଧନ୍ୟବାଦ

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଖୋଲା ଯାଇଥିବାବେଳେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଜନକ ଉପସ୍ଥିତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଦ୍ୟାଳୟ ଖୋଲିବା ପାଇଁ ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନେ ବିଶେଷ ଉତ୍ସାହ ପ୍ରଦର୍ଶନ କରିଥିଲେ । ଦୀର୍ଘ ୯ ମାସ ପରେ ବିଦ୍ୟାଳୟ ଗୁଡ଼ିକ ଖୋଲା ଯାଇଥିବାରୁ ବେଲୁନ, ପେଣ୍ଟିଂ ଇତ୍ୟାଦିରେ ବିଦ୍ୟାଳୟଗୁଡ଼ିକୁ ସଜାଇବା ପରି ଅନେକ ଅଭିନବ ଚିନ୍ତାଧାରା ବିଦ୍ୟାଳୟରେ ପ୍ରଦର୍ଶିତ ହୋଇଥିଲା । ଗତ ୮ ତାରିଖ ଦିନ ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଉପସ୍ଥିତ ଥିବାବେଳେ ୯ ଓ ୧୦ ତାରିଖ ଉପସ୍ଥାନ ଯଥାକ୍ରମେ ୫୩% ଏବଂ ୫୬%କୁ ବୃଦ୍ଧି ପାଇଥିଲା । ୧୧ ତାରିଖ ସୋମବାର ଦିନ ଉପସ୍ଥିତ ୭୨%କୁ ବୃଦ୍ଧି ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା, ହଷ୍ଟେଲ୍‌ ଖୋଲିବା, ଶ୍ରେଣୀଗୃହ ଏବଂ ଶୌଚାଳୟ ସମେତ ସ୍କୁଲ କ୍ୟାମ୍ପସ ସଫା କରିବା ଏବଂ ସାମା ଜିକ ଦୂରତା ପାଇଁ ମାର୍କର ଲଗାଇବା ପାଇଁ ମାର୍ଗଦର୍ଶିକା ଜାରି ସମେତ ବିସ୍ତୃତ ବ୍ୟବସ୍ଥା କରାଯାଇଛି । ବିଭାଗର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ନିୟୋଜିତ ହୋଇଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶରେ ଉପରୋକ୍ତ ମାର୍ଗଦର୍ଶିକାଗୁଡ଼ିକୁ ନଜର ରଖିବା ଏବଂ ତଦାରଖ କରିବା ପାଇଁ ଜିଲ୍ଲାଗୁଡ଼ିକର ବରିଷ୍ଠ ଅଧିକାରୀମାନେ ରବିବାର ଦିନ ମଧ୍ୟ ସଂପୃକ୍ତ ବିଦ୍ୟାଳୟରେ ଉପସ୍ଥିତ ରହିଥିଲେ । କ୍ଲଷ୍ଟର, ବ୍ଲକ୍‌ ଏବଂ ଜିଲ୍ଲାସ୍ତରୀୟ ବାଇକ ରାଲି ସହିତ ତୃଣମୂଳସ୍ତରରୁ ସବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପିଲାମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ଉତ୍ସାହିତ କରିବା ପାଇଁ ଅଭିଭାବକ ଏବଂ ଛାତ୍ରମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଶ୍ରେଣୀ ଗୃହ ଭିତରେ ତଥା ହଷ୍ଟେଲଗୁଡ଼ିକରେ ସାମାଜିକ ଦୂରତା ନିୟମ ଏବଂ ହାତର ସ୍ୱଚ୍ଛତା ବ୍ୟବସ୍ଥା କରାଯାଇଥିଲା ।
ଉପରୋକ୍ତ ଉଦ୍ୟମ ପାଇଁ ମନ୍ତ୍ରୀ ଶ୍ରୀ ଦାଶ ସମସ୍ତ ହିତାଧିକାରୀ, ଛାତ୍ର, ଅଭିଭାବକ, ଶିକ୍ଷକଶିକ୍ଷୟତ୍ରୀ, ଜିଲ୍ଲା ପ୍ରଶାସନ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କର୍ମକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି । ନିକଟଭବିଷ୍ୟତରେ ସମସ୍ତ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ଉପସ୍ଥାନ ସୁନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

loading...

Leave A Reply

Your email address will not be published.