Breaking

ନୂତନ ଭାବେ ୪୩,୩୨୫ ପୁରାତନ ବିଦ୍ୟାର୍ଥୀ ‘ମୋ ସ୍କୁଲ’ ଅଭିଯାନରେ ସାମିଲ

0

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

‘ମୋ ସ୍କୁଲ’ ଅଭିଯାନର ବିଂଶତମ କାର୍ଯ୍ୟକାରୀ ପରିଷଦର ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୨୬.୭୯ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି । ଆଜିର ବୈଠକରେ ଓଡ଼ିଶାର ୨୮ଟି ଜିଲ୍ଲାର ୪୬୪୨ଟି ବିଦ୍ୟାଳୟର ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲାରେ ୪.୨୧ କୋଟି, କଳାହାଣ୍ଡିରେ ୭୩.୭ ଲକ୍ଷ, ଗଞ୍ଜାମରେ ୬୦.୫ ଲକ୍ଷ, ଖୋର୍ଦ୍ଧାରେ ୫୩.୭ ଲକ୍ଷ ଏବଂ କଟକରେ ୪୧.୬ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ସ୍ୱତଃପ୍ରବୃତ୍ତ ଭାବେ ପ୍ରଦାନ କରିଥିବାର ଜଣାପଡ଼ିଛି । ଏହି ବୈଠକରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ତଦାରଖ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୮୪୬୮ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଛି । ଜିଲ୍ଲା ଏବଂ ବ୍ଲକ୍‌ସ୍ତରରେ ଗଠନ କରାଯାଇଥିବା ତଦାରଖ ଦଳ ଦ୍ୱାରା ବିଭିନ୍ନ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା । ଦେଶ ଭିତରେ ଏବଂ ବାହାରେ ରହୁଥିବା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପୁରାତନ ଛାତ୍ରଛାତ୍ରୀମାନେ ସ୍କୁଲର ଉନ୍ନତି ପାଇଁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି । ‘ମୋ ସ୍କୁଲ’ ଯୋଜନାରେ ଦାନ କରାଯାଇଥିବା ଅର୍ଥରାଶି ସଂପୂର୍ଣ୍ଣ ସେ୍ୱଚ୍ଛାକୃତ ଅଟେ । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୦ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ଅଭିଯାନରେ ସାମିଲ ହୋଇଛନ୍ତି ଏବଂ ରାଜ୍ୟର ସମସ୍ତ ଜିଲ୍ଲାର ୨୦ ହଜାର ସ୍କୁଲକୁ ‘ମୋ ସ୍କୁଲ’ ଅଭିଯାନରେ ସାମିଲ କରାଯାଇଛି ।
ପୁରାତନ ଛାତ୍ରୀଛାତ୍ରୀମାନଙ୍କ ସହ ଆଲୋଚନା କରି ସ୍କୁଲ ଖୋଲିବା ପରେ କିପରି ଭାବରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି କରାଯାଇ ପାରିବ, ସେ ବିଷୟରେ ଆଲୋଚନା କରିବା ପାଇଁ ମଧ୍ୟ ବିଭାଗୀୟ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍‌ଇପିଏ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆର୍‌ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, ମୋ ସ୍କୁଲ ଉପସ୍ଥିତ ଥିଲେ ।

 

loading...

Leave A Reply

Your email address will not be published.