Breaking

ଭାରତରତ୍ନ ବାଜପେୟୀଙ୍କୁ ଝୁରୁଛି ସାରା ଦେଶ

ଜାଣନ୍ତୁ କେମିତି ଥିଲା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ଯାତ୍ରା

0

ନୂଆଦିଲ୍ଲୀ :ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍‌ସରେ ସେ ଆଖି ବୁଜିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ଗତ ଜୁନ୍‌ ୧୧ ତାରିଖରୁ ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିଲେ।ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି। ବାଜପେୟୀଙ୍କ ଦେହାନ୍ତରେ ସାତଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ନିକଟରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୯୩ ବର୍ଷ ବୟସ୍କ ଅଟଳ ବିହାରୀ ବାଜପେୟୀ ବିଭିନ୍ନ ଶାରୀରିକ ସମସ୍ୟା ଦେଇ ଗତି କରୁଥିଲେ । ବିଶେଷ କରି ସେ କାହାକୁ ଚିହ୍ନି ପାରୁ ନଥିଲେ କିମ୍ବା ତାଙ୍କର କିଛି ମନେ ରହୁନଥିଲା ।ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୁତୀ ସ୍ଥଳରେ ଶୁକ୍ରବାର ଅଟଳଙ୍କର ଅନ୍ତିମ ସଂସ୍କାର କରାଯିବ।ବାଜପେୟୀଙ୍କ ମର ଶରୀରକୁ ଶୁକ୍ରବାର ସକାଳ ୯ଟାରେ ବିଜେପି ମୁଖ୍ୟାଳୟ ଅଣାଯିବ। ସେଠାରେ ତାଙ୍କର ପାର୍ଥିବ ଶରୀରକୁ ସାଧାରଣ ଲୋକ ଦର୍ଶନ ପାଇଁ ରଖାଯିବ। ଶୁକ୍ରବାର ଅପରାହ୍ନ ସାଢେ ୧ଟାରେ ବାଜପେୟୀଙ୍କ ଅନ୍ତିମ ଯାତ୍ରା ବାହାରିବ। ଏହି ଯାତ୍ରା ବିଜେପି କାର୍ୟ୍ୟାଳୟ ଦେଇ ସ୍ମୃତି ସ୍ଥଳ ପର୍ୟ୍ୟନ୍ତ ଯିବ। ଅଟଳଙ୍କ ପରଲୋକ ପରେ ବିଜେପି ପତାକାକୁ ପାର୍ଟି ମୁଖ୍ୟାଳୟରେ ଅର୍ଦ୍ଧନିମିତ କରାଯାଇଛି।

୧୯୨୪ ଡିସେମ୍ବର ୨୫ ତାରିଖରେ ବାଜପେୟୀ ଜନ୍ମଗ୍ରହଣ କରିଥିଲେ। ଗୋଆଲିୟରରେ ସେ ତାଙ୍କର ସ୍କୁଲ ଓ କଲେଜ ଜୀବନ କାଟିଥିଲେ । ହିନ୍ଦୀ, ଇଂରାଜୀ ଓ ସଂସ୍କୃତରେ ଡିଷ୍ଟିଂସନ୍ ସହ ଗ୍ରାଜୁଏସନ ଶେଷ କରିଥିଲେ । କାନପୁର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଏମଏ ପାସ୍ କରିଥିଲେ । ୧୯୩୯ରୁ ସେ ସଂଘ ପରିବାର ସହ ଜଡ଼ିତ ହୋଇଯାଇଥିଲେ ।

ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସେ ଥିଲେ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣକାଳୀନ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲେ । ସେ ପ୍ରଥମ ଥର ୧୯୯୬ରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ ସରକାର ୧୩ ଦିନ ପର୍ୟ୍ୟନ୍ତ ରହିଥିଲା। ୧୯୯୮ରେ ସେ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେହି ସମୟରେ ତାଙ୍କ ସରକାର ୧୩ ମାସ ପର୍ୟ୍ୟନ୍ତ ଚାଲିଥିଲା। ୧୯୯୯ରେ ବାଜପେୟୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ଏବଂ ୫ ବର୍ଷର କାର୍ୟ୍ୟକାଳ ପୂରଣ କରିଥିଲେ।ସେହିବର୍ଷ ସେ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜନତା ସରକାର ଭାଙ୍ଗିଯିବା ପରେ ସେ ଜନସଂଘକୁ ବିଜେପିର ରୂପ ଦେଲେ । ୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ସେ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲା ବେଳେ ୧୯୬୨ ଓ ୧୯୮୬ରେ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।ମନ୍ତ୍ରମୁଗ୍ଧ କରୁଥିବା ବାଜପେୟୀ ସ୍ଵାସ୍ଥ୍ୟ ଖରାପ ହେବା କାରଣରୁ ସାର୍ବଜନୀନ ଜୀବନରୁ ଦୂରେଇ ରହିଥିଲେ। ୨୦୦୫ରେ ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ଏବଂ ତେବେଠୁ ନିଜ ଘରେ ହିଁ ରହିଥିଲେ।ଶେଷ ଥର ତାଙ୍କର ଫଟୋ ୨୦୧୫ରେ ସାମ୍ନାକୁ ଆସିଥିଲା। ସେହି ସମୟରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ତାଙ୍କର ବାସଭବନ ଯାଇ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିଥିଲେ। ଆଜି ଭାରତ ତାହାର ସୁଯୋଗ୍ୟ ରତ୍ନକୁ ହରାଇ ଦେଇଛି ।

loading...

Leave A Reply

Your email address will not be published.