କାଳିଜାଈ ବୋଟ୍ ଟ୍ରାଜେଡି ଘଟଣା : ପରିବହନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

0 16

ଚିଲିକା : କାଳିଜାଈ ବୋଟ୍ ଟ୍ରାଜେଡିକୁ ଦି-ଦିନ ପୂରିନି ମରାଳ ମାଳିନୀ ଚିଲିକାରେ ପୁଣି ଦେଖିବାକୁ ମିଳିଛି ପୂର୍ବର ଚିତ୍ର। କିଛି ବି ବଦଳିଲାନି। କେହି ବି ଶିଖିଲେନି। ନା ପ୍ରଶାସନ ଚେତିଲା, ନା ପର୍ଯ୍ୟଟକ, ନା ଡଙ୍ଗା ଚାଳକ। ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକା ସାତପଡ଼ା ଘାଟରେ ବିନା ଲାଇଫ୍ ଜ୍ୟାକେଟ୍‌ରେ ନୌବିହାର ଚାଲିଛି।

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକାର ସେଇ କାଳିଜାଈ ପାର୍ଶ୍ୱ, ଯେଉଁଠି ଶନିବାର କାଳସଂଜ ନେଇଥିଲା ୬-୬ଟି ଜୀବନ। ଆଜି ବି ଏଠି ବାଜିରେ ଲାଗିଛି ଜୀବନ। ୧୦-୧୨ ଜଣ ଯାଗାରେ ୩୦ରୁ ଅଧିକ ଯାତ୍ରୀ, ପୁଣି ସୁରକ୍ଷା ଉପକରଣର ନାଁ ଗନ୍ଧ ବି ନାହିଁ। ଚିଲିକା ଭିତରେ ୫୦ କିଲୋମିଟର ଦୂର ପାରିକୂଦରୁ ଏମାନେ ଏମିତି ନିତିଦିନିଆ ଆସନ୍ତି। ଆଜି ବି ଆସିଛନ୍ତି ଭଗବାନ ଭରସାରେ। ହେଲେ ଧର୍ମକୁ ଆଖିଠାର ମାରିଲା ଭଳି ପ୍ରଶାସନ କିନ୍ତୁ, କାଳିଜାଈ ଦୁର୍ଘଟଣାର ତଦନ୍ତ ନ ସରିବା ଯାଏ, ଏଠି କାଳିଜାଈ ବୋଟ୍ ଆସୋସିଏସନ୍‌ର ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରିଛି। କୂଳରେ ଧାଡ଼ି ହୋଇ ରହିଥିବା ସବୁ ଡଙ୍ଗାରେ କିନ୍ତୁ ଅଛି ଲାଇଫ୍ ଟ୍ୟୁବ୍, ଲାଇଫ୍ ଜ୍ୟାକେଟ୍।

ଏପଟେ କାଳିଜାଈ ଡଙ୍ଗା ବୁଡ଼ି ଘଟଣାରେ ପୋର୍ଟ ଆଣ୍ଡ ଇନ୍‌ଲ୍ୟାଣ୍ଡ ଓ୍ୱାଟର ଟ୍ରାନ୍ସପୋର୍ଟ ନିର୍ଦ୍ଦେଶକଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଫି ଥର ଦୁର୍ଘଟଣା ବେଳେ ତଦନ୍ତ, ତନାଘନା। ଘଟଣାର ପୂନରାବୃତ୍ତି ନହେବାର ପ୍ରତିଶ୍ରୁତି। ସ୍ଥିତି କିନ୍ତୁ ଯାହାକୁ ତାହା। ତେବେ କାଳିଜାଈ ଦୁର୍ଘଟଣାର ତଦନ୍ତ ରିପୋର୍ଟ କେବେ ଆସୁଛି, ଯାତ୍ରୀଙ୍କ ସୁରକ୍ଷାକୁ ନେଇ କି ପଦକ୍ଷେପ ନେଉଛନ୍ତି ସରକାର, ଏବେ ତା ଉପରେ ନଜର।

Leave A Reply

Your email address will not be published.